ନୂଆଦିଲ୍ଲୀ(ବ୍ୟୁରୋ) - ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ଜରିଆରେ ଦିଆଯାଉଥିବା ଭୋଟ୍ ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (Voter Verifiable Paper Audit Trail -VVPAT) ସ୍ଲିପ୍ ଗୁଡ଼ିକର ୧୦୦% ମେଳ ଦାବି ନେଇ ଆଗତ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ନିଜ ରାୟ ସଂରକ୍ଷିତ ରଖିଛନ୍ତି। ମାମଲାର ଶୁଣାଣିବେଳେ ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ ଆମେ ଆଉ ମେରିଟ୍ ଉପରେ ଶୁଣାଣି କରୁନାହୁଁ। କାରଣ ଆମେ ନିର୍ବାଚନ କମିଶନ ଠାରୁ କିଛି ନିର୍ଦ୍ଦିଷ୍ଟ ସ୍ପଷ୍ଟୀକରଣ ଚାହୁଁଛୁ | ଆମର କିଛି ପ୍ରଶ୍ନ ଥିଲା ଏବଂ ସେଗୁଡ଼ିକର ଉତ୍ତର ଆମେ ପାଇଛୁ | ଆମେ ରାୟ ସଂରକ୍ଷିତ ରଖୁଛୁ।
୪୦ ମିନିଟ୍ ଧରି ଚାଲିଥିବା ଆଜିର ଏହି ଶୁଣାଣିରେ ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ, ଗୋପାଳ ଶଙ୍କରନାରାୟଣ ଏବଂ ସଞ୍ଜୟ ହେଗଡେ ହାଜର ହୋଇଥିଲେ। ପ୍ରଶାନ୍ତ ଆସୋସିଏସନ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ । ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ତରଫରୁ ଓକିଲ ମନିନ୍ଦର ସିଂହ ହାଜର ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କୋର୍ଟରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଏପ୍ରିଲ ୧୮ରେ ହୋଇଥିବା ଶୁଣାଣିରେ ଭୋଟ୍ ଦେବା ପରେ ଭୋଟରଙ୍କୁ ଭିଭିପିଏଟ୍ ସ୍ଲିପ୍ ଦିଆଯାଇପାରିବ କି ନାହିଁ ବୋଲି କୋର୍ଟ ନିର୍ବାଚନ କମିଶନଙ୍କୁ ପଚାରିଥିଲେ।ନିର୍ବାଚନ କମିଶନ କହିଥିଲେ ଯେ, ଭୋଟରଙ୍କୁ ଭିଭିପିଏଟ୍ ସ୍ଲିପ୍ ଦେବାରେ ବହୁତ ରିସ୍କ ରହିଛି। ଏହା ଯୋଗୁଁ ଭୋଟରଙ୍କ ଗୋପନୀୟତା ଉଲ୍ଲଂଘନ ହୋଇପାରେ ଏବଂ ବୁଥ ବାହାରେ ଏହାର ଅପବ୍ୟବହାର ହୋଇପାରେ | ଅନ୍ୟ ଲୋକମାନେ ଏହାକୁ କିପରି ବ୍ୟବହାର କରିବେ ଆମେ କହି ପାରିବୁ ନାହିଁ।