ଭୁବନେଶ୍ବର(ବ୍ୟୁରୋ) - ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ସେପଟେ ଆହୁରି ୪ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୪ ଓ ୨୫ ତାରିଖରେ ଉତ୍ତର ଓ ଉପକୂଳରେ ଗ୍ରୀଷ୍ମପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୨୬ ଓ ୨୭ରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ଗମ୍ଭୀର ହେବ। ୨୬ରେ ସିଭିୟର୍ ହିଟୱେଭ୍ ନେଇ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଥିବା ବେଳେ ୨୭ରେ ସିଭିୟର୍ ହିଟୱେଭ୍ ନେଇ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୨୬ ରେ ସିଭିୟର୍ ହିଟୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଥିବା ୧୧ ଜିଲ୍ଲାଗୁଡିକ ହେଲା- ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧା । ଏହି ସମୟରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆଗାମୀ ୨୪ ଓ ୨୫ ତାରିଖରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନ ମଧ୍ୟ ରହିଛି। ସେହିପରି ୨୭ରେ ସିଭିୟର୍ ହିଟ୍ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଥିବା ୧୯ ଜିଲ୍ଲାଗୁଡିକ ହେଲା-ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼,ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧା ।